Saturday, June 12, 2021

ଅନୁଭବ

ଅନୁଭବ

କ୍ଷୁଦ୍ର ଗଳ୍ପ

ନୂଆଆ ନୂଆ ବାହାଘର ହୋଇଥାଏ। ସମୟ ସବୁ ଲାଗୁଥାଏ ସତରେ ଖୁବ୍ ନିଆରା ନିଆରା। ରୋହିତର ଅନୁଭବ ହେଉଥାଏ ଯେମିତିକି ଛୁଟିର ହାତଗଣତି ଦିନଗୁଡିକ ପାଣି ଭଳିଆ ବୋହି ଯାଉଛି! ହେଲେ ଏମିତି ହୁଏ କେମିତି? ସମୟର ସୁଅରେ ବନ୍ଧ ପକାଇ ତାକୁ ଅଟକାଇବାର କିଛି କଳକୈାଶଳ ବାହାରନ୍ତାନି? ଏବେ ଦିନଗୁଡିକ କି ହସଖୁସିରେ ବିତି ନ ଯାଉଛି! ଆଗରୁ ଏକାନ୍ତ ଶୂନ୍ୟ ଶୂନ୍ୟ ଲାଗୁଥିବା ଏଇ ସମାନ ଜୀବନଟା ଏବେ କେତେ ଆନନ୍ଦଦାୟକ ନ ଲାଗୁଛି! ଘରେ

ବନ୍ଧୁବାନ୍ଧବ କହିଲେ ଆଉ ସେମିତି କେହି ଘରେ ନଥାନ୍ତି। ଘରଟା ଫାଙ୍କା ଫାଙ୍କା ଲାଗିବା କଥା। ହେଲେ କାଇଁ ସେମିତି ତ ଲାଗୁନି ବରଂ ପୂରିଲା ପୂରିଲା ଭଳି ଲାଗୁଛି। 

ରୋମି ଏ ଘରକୁ ଆସିଲା। ଜୀବନରେ ମେଞ୍ଚାଏ ନୂତନ ରଙ୍ଗ କିଏ ଯେମିତି ମାଖି ଦେଇଗଲା। କିଏ ଯେମିତି ଘୋର ଶୀତରାତିରେ ମଝି ମଝିରେ ଚାଲି ଆସୁଛି ଆଉ  ପୁଳାଏ ଉଷ୍ମତା ଭରା ନୂଆ ଉଲ୍ ଚାଦରଟିଏ ଢାଙ୍କି ଦେଇ ଚାଲି ଯାଉଛି। ବିଚିତ୍ର ମଧୁର ଅନୁଭବଟିଏ ପରଷି ଦେଇ ଚାଲି ଯାଉଛି। ମାସକର ଛୁଟି ସରି ସରି ଆସିଲା। ଅଫିସ୍ ରୁ ଡକରା ଆସିଲାଣି। ଛୁଟିର ନିର୍ଦ୍ଧାରିତ ସମୟସୀମା ବଢାଇବାର ଆଉ କିଛି ବାଟ ନାହିଁ। ରୋହିତର ମୁଣ୍ଡ ଭିତରଟା ଗରମ ହୋଇ ଯାଉଥିଲା।

ରୋମି ଏଇ ସମୟରେ ବାହାରକୁ ବାହାରି ଆସିଲା। ହାତରେ ରୋହିତର ମୋବାଇଲ୍। ଆରେ, ତମେ କେତେବେଳୁ ଆସି ଏଇଠି ବସି ଯାଇଛ, ଆଉ ମୁଁ ତମକୁ ଖୋଜି ଚାଲିଛି। କହିନ ବି। କୁଆଡ଼େ ଚାଲି ଯାଇଥିଲେ ସକାଳୁ ସକାଳୁ? 

ଅବିରାମ ଶବ୍ବଗୋଳା ବର୍ଷଣ କରିବା ପରେ ଥମିଗଲା ରୋମି। ବଦଳିଗଲା ସ୍ବର। 

- ଏଇ ମେସେଜ୍ ଟା ଦେଖିଲ। ଖୁସିଖବର ତମ ପାଇଁ। ରୋହିତ ଆଖି ସାମ୍ନାରେ ମୋବାଇଲ ପରଦାକୁ ତୋଳି ଧରିଲା ରୋମି।

ମେସେଜ ପଢୁପଢୁ ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା ରୋହିତ୍ ର। ଆଃ। ଖୁସିର ଅଦିନିଆ ଜୁଆରଟିଏ ତାକୁ ଛୁଇଁ ଛୁଇଁ ଗଲା ଯେମିତି। 

ଆନନ୍ଦରେ ରୋମିକୁ କୁଣ୍ଢେଇ ପକାଇଲେ ରୋହିତ। ଏଇ ବାର୍ତ୍ତା ଟିକୁ ମୁଁ ଦୁଇ ବର୍ଷ ହେଲା ଅପେକ୍ଷା କରି ରହିଥିଲି। ହେଲେ ତମେ ଆସିବା ପରେ ଯାଇ ସେ ଆସିଲା। 

ପଦୋନ୍ନତି। ଏଥିପାଇଁ ସେ କେବେଠାରୁ ଆଶାୟୀ ହୋଇ ରହିଥିଲା। ଘରୋଇ ସଂସ୍ଥାରେ ଚାକିରି ମାନେ କାମ ହିଁ କାମ। ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିବା ପାଇଁ ପଡେ। ସିଏ ଲେଖିଲେ ତଳିଆ କର୍ମଚାରୀଙ୍କ ଦରମା ବଢିବାର ବାଟ ଫିଟିବ। ହେଲେ କିଛି ବି ଘଟୁ ନଥିଲା। 

ରୋହିତ ଏବେ ଭିନ୍ନ ଦିଗରେ ଭାବିଲା। ଆରେ ସିଏ ତ ପୁଣି ବିରକ୍ତ ହୋଇ କହିଥିଲା - ଆଉ ବାହାଘର କଥା କେହି କହିବନି। ହେଲେ ହେଲା ତ! ରୋମି ଆସିଲା ଆଉ ତା ସହ ପଦୋନ୍ନତି ବି।

ଦୁଃଖ ଯେମିତି ହାତ ଧରାଧରି ହୋଇ ଆସନ୍ତି ସୁଖାନୁଭବ ବି ସେମିତି। ବାଃ। ନିଜର ନୂଆ ଭାବନାରେ ରୋହିତ ପୁଲକିତ ହୋଇ ଉଠିଲା।

#ଓଡିଶାର ବିଶ୍ବ-ପରିଚିତି

 ଓଡ଼ିଶା କୁହ କିମ୍ବା ଉତ୍କଳ। କଳିଙ୍ଗ କହିଲେ ବି ରାମାୟଣ ଅଣୁଦ ହୋଇଯିବ ନାହିଁ। ଏ ମାଟି କଳାର ଭୁମି। ଆମ କଳାର ଆଦର ସବୁବେଳେ ସବୁଠାରେ ରହିଛି ଓ ରହିବ। ନିଆରା ପଣ ହିଁ ଆମ କଳାର ବଡ଼ ପଣ।

ଆମ କଳା ଓ ଭାସ୍କର୍ଯ୍ୟର ଅନୁପମ ଆଲେଖ୍ୟ କୋଣାର୍କ। ବ୍ଲାକ୍ ପାଗୋଡା। ପାଖରେ ପୁରୀ। ଏ ମନ୍ଦିରର ନିର୍ମାଣ ଶୈଳୀ ଅତୀବ ସୁନ୍ଦର, କମନୀୟ। ପରମ ଦର୍ଶନୀୟ। ବିଦେଶୀଙ୍କ ଅତି ପ୍ରିୟ ଦର୍ଶନୀୟ ସ୍ଥାନ। ଏହାର ନାମ ହ୍ବାଇଟ୍ ପାଗୋଡା।

ଶ୍ରୀମନ୍ଦିର। ବଡ଼ଦେଉଳ। ଶ୍ରୀଜିଉଙ୍କ ମହିମା କାହିଁ କେତେ ଦୂର ପରିବ୍ୟାପ୍ତ। ମୁସଲିମ ରାଷ୍ଟ ଇଣ୍ଡୋନେସିଆରେ କିଛି ଲୋକଙ୍କ ନାମରେ ଅଛି ଉତ୍କଳୀୟ ଚାପ। ବ୍ରିଟିଶ ଶାସକ ମାନେ ଧାତବ ଅଣା ପଇସାରେ ଜଗନ୍ନାଥ. ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ପ୍ରତିମା ଖୋଦେଇ କରିଥିଲେ। ସେମାନଙ୍କ ଆଗରୁ ଓଡ଼ିଶାକୁ ଆସି ବାଲେଶ୍ବରରେ ବାଣିଜ୍ୟ ପସରା ମେଲାଇ ଥିଲେ ପର୍ତ୍ତୁଗାଲର କିଛି ନାବିକ- ବ୍ୟବସାୟୀ। ଆମ ବଡ଼ ଦେଉଳ ର କାରୁକାର୍ଯ୍ୟ ସେମାନଙ୍କ ମନ ବି ମୋହିଥିଲା। ସେମାନଙ୍କ ଦେଶର ପ୍ରମୁଖ ବ୍ୟାଙ୍କ କିଛି ବିରଳ କାଗଜ ଟଙ୍କା ଛାପିଥିଲେ। ବଡ଼ଦେଉଳର ବ୍ୟାପ୍ତି ଏହିଭଳି ନିଜର ଅନନ୍ୟତା ବଳରେ ବିଶ୍ବ-ପରିଚିତି ପାଇଥିଲା।